Chandramara Chhai
Chandramara Chhai | Odia.TV

ଜହ୍ନ ଦିଶେ ପରିତ୍ୟକ୍ତ ମେହଫିଲର
ନିଷ୍ପ୍ରଭ ଆଲୁଅ ପରି
ଅବା କେନାଲ ପାଣିରେ ଭାସୁଥିବା
ଅସହାୟ ସଫେଦ ରୁମାଲ ପରି ||
ଦିନଥିଲା ଲାବଣ୍ୟବତୀର
ରୂପା ଝରକା ଦେଇ ଆସୁଥିଲା
ସୁନା ଜହ୍ନ, ଆଉ ବସୁଥିଲା
ଦର୍ପଣ ଆଗରେ ଯେଉଁଠି ରହିଥାଏ
ଗଦାଗଦା ଅହଂକାର ଆଉ
ସତେଜ ପ୍ରସାଧନ, ପରିପାଟୀ, ସନ୍ଦିଗ୍ଧ ପ୍ରକରଣ
ଆଉ ସେ ଚନ୍ଦ୍ରମୁଖୀ ହୋଇଯାଉଥିଲା ||
ଶ୍ରୀରାଧାର କେଳିକୁଞ୍ଜ ଅବା
ଭଙ୍ଗା ଘରେ ଭିଜୁଥିଲା ପ୍ରେୟସୀର
ଦେହମନ ଚନ୍ଦ୍ରମାର ଚନ୍ଦନ ଲେପରେ ||
ଆଜି କିନ୍ତୁ ଜହ୍ନ ଭାସୁଥାଏ
ପ୍ରେତାତ୍ମାର ରୁଗ୍ଣ ଛାଇ ପରି ଅବା
ସତେ ଯେମିତି ଶେତା ପଡ଼ି ଯାଇଥିବା
ରକ୍ତହୀନ ଉଦାସୀ ନାୟିକା ||
ପ୍ରେମହୀନ ଜୀବନରେ
ଉତ୍ପୀଡ଼କ ଚନ୍ଦ୍ରମାର ଛାଇ
ବିଧବାର ସୀମାନ୍ତରେ ସିନ୍ଦୂରର ସ୍ମୃତି ପରି ||
ଜହ୍ନ ଆଜି ନିରୁଦ୍ଧିଷ୍ଟ
ଅଭିଶପ୍ତ ଗନ୍ଧର୍ବର ମାୟାବୀ ଜାଲରେ
ତଥାପି ମହାବିଷ୍ଟ ଚକୋର ଚକୋରୀ
ଖୋଜୁଥାନ୍ତି ଚନ୍ଦ୍ରମାର ମହୁ
ଅନ୍ତହୀନ କାମନାର ନୀଳ ପ୍ରାଙ୍ଗଣରେ ||
—:: Just end ::—

About:
Santanu Kumar Sar
Dedicated Odia poet, Essayist & Motivational speaker.
Leave a Reply